ବ୍ରହ୍ମପୁରର ବିଶ୍ୱପ୍ରସିଦ୍ଧ ଠାକୁରାଣୀ ଯାତ୍ରା
ଆଲେଖ୍ୟ: ହୃଷୀକେଶ ପାଣିଗ୍ରାହୀ
ଶୈବ ଓ ଶାକ୍ତ ଭକ୍ତମାନେ ଦକ୍ଷିଣ କଳିଙ୍ଗର ଏହି ଭୂଖଣ୍ଡରେ କେଉଁ ଆବହମାନକାଳରୁ ରହି ଆସିଛନ୍ତି । ଗୋଟିଏ ପାଶ୍ୱର୍ରେ ସମୁଦ୍ର ବେଳାଭୂମି, ଆଉ ଏକ ପାଶ୍ୱର୍ରେ ପୁଣ୍ୟତୋୟା ଋଷିକୂଲ୍ୟାର ନଦୀ ତଟ ଏବଂ ପଛପଟେ କେରାଣ୍ଡିମାଳ ପର୍ବତ ଅଞ୍ଚଳ । ସମୁଦ୍ର, ନଦୀ ଓ ପର୍ବତ ଭିତର ଅଂଶ ହେଲା ମହୁରୀ ରାଜ୍ୟ । ଏ ରାଜ୍ୟର ରାଜଧାନୀ ଥିଲା ବ୍ରହ୍ମପୁର । ରାଜାମାନେ ଥିଲେ ପ୍ରବଳ ପ୍ରତାପୀ ଓ ପ୍ରଜାବତ୍ସଳ । ନରେନ୍ଦ୍ର ଦେବ ବଂଶଜ ଏହି ରାଜାମାନେ ପ୍ରାୟ ପାଞ୍ଚଶହରୁ ଊର୍ଦ୍ଧ୍ୱ ବର୍ଷ ଧରି ଶାସନ କରୁଥିଲେ ଏବଂ ଏମାନେ ଥିଲେ ଉଭୟ ଶୈବ ଓ ଶାକ୍ତ ଉପାସକ । ମହୁରୀ ଅଞ୍ଚଳରେ ଅଷ୍ଟଶମ୍ଭୁ ପ୍ରତିଷ୍ଠା କରି ଖ୍ୟାତି ଅର୍ଜିବା ସହ ମା କାଳୁଆଙ୍କୁ ନିଜର ଇଷ୍ଟ ମାନୁଥିଲେ । ରାଜାଙ୍କ ପ୍ରୋତ୍ସାହନରେ ତତ୍କାଳୀନ ବ୍ରହ୍ମପୁୁର ଉପକଣ୍ଠରେ ଥିବା ମା\’ ଠାକୁରାଣୀ ବା ମା\’ ବୁଢ଼ୀ ଠାକୁରାଣୀଙ୍କର ବିଭିନ୍ନ ପୂଜା ପାର୍ବଣ ଅନୁଷ୍ଠିତ ହେଉଥିଲା ।
ପରବର୍ତ୍ତୀ ସମୟରେ ମହୁରୀ ରାଜାଙ୍କ ଆଶୀର୍ବାଦରୁ ଦାକ୍ଷିଣାତ୍ୟର ଡେରା ସମ୍ପ୍ରଦାୟର ଲୋକମାନଙ୍କର ଆଗମନ ପରେ ସେହି ଜାତିର ସେନାପତି ଦେଶୀ ବେହେରାଙ୍କ ଦ୍ୱାରା ଏହି ପାର୍ବଣ ପରମ୍ପରା ଆହୁରି ଉତ୍ସବମୁଖର ହୋଇଉଠିଲା । ଗବେଷକମାନଙ୍କ ମତରେ ଆଗରୁ ଯଦିଓ ମାଙ୍କ ବିଭିନ୍ନ ପୂଜା ସହ ବାର୍ଷିକ ଯାତ୍ରା ହେଉଥିଲା କିନ୍ତୁ କିମ୍ବଦନ୍ତୀ ଅନୁସାରେ ମା\’ ଠାକୁରାଣୀଙ୍କର କନ୍ୟା ରୂପରେ ପୂଜା କରାଗଲା କେବଳ ଏହି ଦ୍ୱିବାର୍ଷିକ ଯାତ୍ରା ବେଳେ ।
ଏତେ ବିଶାଳ, ଅପରିସୀମ ବିସ୍ତୃତତାରେ ବିମଣ୍ଡିତା ମା\’ ଠାକୁରାଣୀ କିପରି ଝିଅ ରୂପେ ପୂଜା ପାଆନ୍ତି ସେଥିରେ ବିଭିନ୍ନ କିମ୍ବଦନ୍ତୀ ରହିଥିଲେ ହେଁ, ତତ୍ସଂଲଗ୍ନ ନାନାଦି ପରମ୍ପରା ଆଜି ବି ଭକ୍ତକୁ ସ୍ତବ୍ଧ ଚକିତ କରାଇଦିଏ । ବ୍ୟସ୍ତ ବହୁଳ ବ୍ରହ୍ମପୁର ସହରରେ ଏହି ମାଙ୍କ ପିତା ଗୃହ ଓ ସେହି ଅଞ୍ଚଳ ପାଲଟିଯାଏ ପବିତ୍ର ମା\’ଙ୍କ କ୍ଷେତ୍ର । ଏଠି ପ୍ରାୟ ଏକମାସ ବ୍ୟାପୀ ମା କରନ୍ତି ଅଦ୍ଭୁତ ଲୀଳା । ମାଙ୍କ ଆମନ୍ତ୍ରଣଠୁ ଆରମ୍ଭ କରି ପିତା ଗୃହକୁ ଆଗମନ, ମା\’ଙ୍କ ସାହି ପରିକ୍ରମା ରଥ ଓ ଦେବାଦେବୀମାନଙ୍କୁ ଆବାହନ, ବିଭିନ୍ନ ପୂଜା ପରମ୍ପରା, ବିଭିନ୍ନ ମାନସିକଧାରୀଙ୍କ ବେଶଧାରଣ, ବିଶାଳ ରଥ ନିର୍ମାଣ, ମା\’ଙ୍କ ଧର୍ମଝଣ୍ଡା, ରାଜଉଆସକୁ ପ୍ରତ୍ୟହ ଗମନ ଏବଂ ଏପରିକି ମା\’ଙ୍କ ପ୍ରତ୍ୟାବର୍ତ୍ତନ ଏ ସବୁଥିରେ ନିହିତ ଥିବା ପ୍ରତ୍ୟେକ ଲୀଳା ଅଦ୍ଭୂତ ଓ ଅଲୌକିକ । ଏହି ଲୀଳାକୁ ଦେଖିବା ପାଇଁ କେବଳ ଓଡ଼ିଶା ନୁହେଁ ଭାରତ ଓ ଭାରତ ବାହାରୁ ବିଶ୍ୱର ବିଭିନ୍ନ ଦେଶରୁ ଭକ୍ତମାନେ ଛୁଟି ଆସନ୍ତି ବ୍ରହ୍ମପୁରକୁ ଠାକୁରାଣୀ ଯାତ୍ରା ଅବସରରେ । ଯୁଗ ଯୁଗ ଧରି ଏହି ଲୀଳା ଭକ୍ତ ଓ ଗବେଷକମାନଙ୍କୁ ଅବିଭୂତ କରିଛି ।
ଏହି ପ୍ରବଳ ପ୍ରତାପୀ ରାଜବଂଶ ପରମ୍ପରାକ୍ରମେ ହରିହର ନରେନ୍ଦ୍ର ଦେବଙ୍କ ପର୍ଯ୍ୟନ୍ତ ରହିଆସିଥିଲା । ସେହି ସମୟରେ ହିଁ ଉତ୍କଳ ଭୂଖଣ୍ଡର ରାଜା ଏବଂ ସାମନ୍ତ ରାଜାମାନଙ୍କର ପାରିବାରିକ ଓ ଶାସନଗତ ତଥା ବ୍ୟବସାୟିକ ସମ୍ପର୍କ ଭାରତର ଦାକ୍ଷିଣାତ୍ୟ ରାଜ୍ୟମାନଙ୍କ ସହ ରହି ଆସୁଥିଲା । ସେହିକ୍ରମରେ ମହୁରୀ ରାଜାଙ୍କ ସମ୍ପର୍କ ରାଜମହେନ୍ଦ୍ରୀର ରାଜା ଓ ସେଠାକାର ବ୍ୟବସାୟୀଙ୍କ ସହ ଜଡ଼ିତ ଥିଲା । ସେହିଠାରେ ହିଁ ମହୁରୀ ରାଜାଙ୍କୁ ଏକଦା ଏକ ଅଦ୍ଭୁତ ଚକମକ କରୁଥିବା ବସ୍ତ୍ରର ଓଢ଼ଣୀ ଉପଢ଼ୌକନ ସ୍ୱରୂପ ରାଜମହେନ୍ଦ୍ରୀ ରାଜା ଅର୍ପଣ କରନ୍ତେ, ମହୁରୀ ରାଜା ପଚାରିଲେ \”ଇଏ କି ବସ୍ତୁ\’ । ଉତ୍ତରରେ ରାଜମହେନ୍ଦ୍ରୀର ତତ୍କାଳୀନ ରାଜା ପାଟବସ୍ତ୍ରର ଉତ୍ପତ୍ତି, ବୁଣା ପଦ୍ଧତି ଏବଂ ଦେବାଙ୍ଗ ଋଷିଙ୍କ ବଂଶଜ ବୁଣାକାରମାନଙ୍କ ସମ୍ପର୍କରେ କହିଥିଲେ । ସେହି ସମୟରେ ହିଁ ସେଠି ଏକ ଅନନ୍ୟ ଘଟଯାତ୍ରା ହେଉଥିବାର ରାଜା ଦେଖି ମୁଗ୍ଧ ଚକିତ ହେଲେ ଏବଂ କାରଣ ଜାଣିବାକୁ ଚାହିଁବାରୁ ଉତ୍ତର ପାଇଲେ ଯେ, ସେହି ଦେବାଙ୍ଗ ବଂଶଜ ଲୋକଙ୍କ କୁଳବଧୂ ଓ ମାଅମାନେ ହିଁ ଏହି ଘଟଯାତ୍ରାରେ ସାମିଲ୍ ହୋଇଛନ୍ତି । ଶାକ୍ତ ଉପାସକ ମହୁରୀ ରାଜା ତତ୍କ୍ଷଣାତ ରାଜମହେନ୍ଦ୍ରୀ ରାଜାଙ୍କୁ ଅନୁରୋଧ କରନ୍ତେ ତା\’ଙ୍କ ସହ ବାହୁଡ଼ାବେଳେ ବ୍ରହ୍ମପୁରକୁ ଏହି ଦେବାଙ୍ଗ ବଂଶଜ କିଛି ପରିବାର ଆସିଥିଲେ । ସଂଖ୍ୟାଧିକ ଥିବାରୁ ରାଜା ସାହିରେ ତମ୍ବୁ ଟାଣି ଡେରା ପକାଇ ସେମାନଙ୍କୁ ପ୍ରଥମେ ରଖିବାକୁ ପଡ଼ିଲା । ସେଥିପାଇଁ ଦେବାଙ୍ଗ ବଂଶଜ ଲୋକଙ୍କୁ ଏଠି \”ଡେରା\’ ଜାତି ବୋଲି କୁହାଗଲା । ସେମାନେ ଏଠି ଅବସ୍ଥାନ କଲାପରେ କିମ୍ବଦନ୍ତୀ ଅନୁସାରେ ଏହି ଡେରା ଜାତିର ମୁଖ୍ୟ ସେନାପତି ଦେଶୀବେହେରା ପାଳନ କରି ଆସୁଛନ୍ତି ଠାକୁରାଣୀ ଯାତ୍ରା । ଏଥିରେ ମା’ଙ୍କୁ କନ୍ୟା ରୂପେ ଆବାହନ କରାଯାଏ ଏବଂ ଦେଶୀବେହେରା ହୁଅନ୍ତି ପିତା ।
ମା\’ ଠାକୁରାଣୀ ଯାତ୍ରାର ଅନନ୍ୟ ବୈଶିଷ୍ଟ୍ୟ ହେଲା ଘଟ, ଘଟତତ୍ତ୍ୱ ଏବଂ ଘଟଯାତ୍ରା । ସେଥିପାଇଁ ସହଜ ଭାଷାରେ ମା\’ ଠାକୁରାଣୀଙ୍କ ଯାତ୍ରାକୁ ଘଟ ଯାତ୍ରା ବୋଲି କୁହାଯାଇଥାଏ । ମା\’ ଠାକୁରାଣୀଙ୍କ ଯାତ୍ରାରେ ପ୍ରାରମ୍ଭିକ ଅବସ୍ଥାରେ ଯାତ୍ରାର ତୃତୀୟ ଦିନରେ ମା\’ ଫୁଲ ଚାଙ୍ଗୁଡ଼ିରୁ ଘଟ ଭିତରେ ପ୍ରବେଶ କରିଥା\’ନ୍ତି ଏବଂ ପରଦିନଠୁଁ ମହିଳମାନେ ଶହ ଶହ ସଂଖ୍ୟାରେ ପାହାନ୍ତିଆରୁ ଜଳପୂର୍ଣ୍ଣ କଳସ ଆଣି ସେଥିରୁ ପାଣି ଛିଞ୍ôଚ ଅସ୍ଥାୟୀ ମନ୍ଦିର ସମ୍ମୁଖରେ ସଫା କରି ଦେବୀଙ୍କୁ ଦର୍ଶନ ଓ ପୂଜା କରନ୍ତି । ଘଟ ଭିତରେ ରହି ପ୍ରତି ସନ୍ଧ୍ୟାରେ ଲୀଳା କରିବା ସମୟରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଗହଣରେ ରହି ପ୍ରତି ମୂହୂର୍ତ୍ତରେ ଯାତ୍ରା ଅବଧି ଶେଷ ହେବା ପର୍ଯ୍ୟନ୍ତ ସଚେତନ କରାଇଦିଅନ୍ତି \”ଘଟରେ ମୁଁ ନାରାୟଣୀ ତତ୍ତ୍ୱ\’ । ଅର୍ଥାତ୍ ପ୍ରତିଘଟରେ ମୁଁ ହିଁ ଅଛି । କିନ୍ତୁ ଯାତ୍ରା ଶେଷ ଦିନ ଅର୍ଥାତ୍ ବାହୁଡ଼ା ଯାତ୍ରା ଦିନ ମା\’ଙ୍କ ନିଜ ମନ୍ଦିରରୁ ଆସେ \”ସହସ୍ରାକ୍ଷ\’ ଘଟ ଏବଂ ତାହା ବି କଞ୍ଚାମାଟିରେ ତିଆରି ଘଟ । ସେହି ଘଟ ଆସିଲା ପରେ ଆରମ୍ଭ ହୁଏ ମା\’ଙ୍କ ଯିବାର ପ୍ରସ୍ତୁତି ଲୀଳା । ଶେଷ ଦିନ ଡାକରା ଆସେ \”ମା\’ ପୁଣି ଥରେ ଆପଣଙ୍କୁ ଉନ୍ମୁକ୍ତ ହେବାକୁ ପଡ଼ିବ । ସେଥିପାଇଁ ମାଟିରେ ତିଆରି ସହସ୍ର ଆଖି ବା ସହସ୍ରାକ୍ଷ ଘଟ ଆସେ । ତାହା ପରେ ଲକ୍ଷ ଲକ୍ଷ ମହିଳାଙ୍କ ଘଟଯାତ୍ରା ବା ପ୍ରତ୍ୟାବର୍ତ୍ତିତ କଳସ ଯାତ୍ରା ହୁଏ । ପାହାନ୍ତିଆରେ ମା\’ ପହଞ୍ଚନ୍ତି ନିଜ ମନ୍ଦିରରେ ଏବଂ ପୁଣି ଥରେ ଘଟ ଉନ୍ମୁକ୍ତ ହୁଏ । ମା\’ ପରିବ୍ୟାପ୍ତ ହୁଅନ୍ତି – ହୁଅନ୍ତି ଅନନ୍ତ, ଅସୀମ ।