ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀଙ୍କ ଦ୍ଵିବାର୍ଷିକ ଯାତ୍ରା ପାଇଁ ଶୁଭଲଗ୍ନ ଧାର୍ଯ୍ୟ ହୋଇଯାଇଛି। ଯାତ୍ରାର କର୍ଷା ପି ଦୁର୍ଗା ପ୍ରସାଦ ଦେଶୀବେହେରାଙ୍କ ଘର ସମ୍ମୁଖରେ ବୁଧବାର ରାତି ପ୍ରାୟ ୧୦ଟାବେଳେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ। ସିଦ୍ଧାନ୍ତୀ ଯାତ୍ରାର ଶୁଭଲଗ୍ନ ବାହାର କରିଥିଲେ | ଆସନ୍ତା ଏପ୍ରିଲ ୩ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ମା’ଙ୍କ ଯାତ୍ରା ଆଯୋଜନ ହେବ ବୋଲି ଦିନ ଧାର୍ଯ୍ୟ ହୋଇଛି । ଏପ୍ରିଲ ୩ ତାରିଖ ରାତି ୧୧ଟା ପରେ ମା’ ନିଜ ମନ୍ଦିରରୁ ଶୋଭାଯାତ୍ରାରେ ଆସି ନିଜ ବାପ ଘର ଦେଶୀ ବେହେରା ସହିରେ ପହଞ୍ଚିବେ।
ସିଦ୍ଧାନ୍ତୀ ଭି.ବାସୁଦେବ ଶାସ୍ତ୍ରୀଙ୍କ ଗଣନା ଅନୁଯାୟୀ ମା’ଙ୍କ ଆଗମନ ଏବଂ ପ୍ରସ୍ଥାନ ତାରିଖ ଏବଂ ସମୟ ଘୋଷଣା କରିଥିଲେ । ଠାକୁରାଣୀ ଯାତ୍ରା ତାରିଖ ଘୋଷଣା ପରେ ବୁଧବାର ରାତିରେ ଶୁଭଖୁଣ୍ଟି ସ୍ଥାପନ ହୋଇଛି। ବିଳମ୍ବିତ ରାତିରେ ଏକ ବଡ଼ ପଟୁଆରରେ ଦେଶୀବେହେରା ପରିବାର ସଦସ୍ୟ ସାହିବାସୀ, ସ୍ଥାନୀୟ ବ୍ୟବସାୟୀମାନେ ମିଳିତ ଭାବେ ଶୁଭଖୁଣ୍ଟି ଧରି ବୁଢି ଠାକୁରାଣୀ ମନ୍ଦିର ଅଭିମୁଖେ ବାହାରିଥିଲେ। ସେଠାରେ ପୂଜାର୍ଚ୍ଚନା କରାଯାଇଥିଲା । ଠାକୁରାଣୀ ଯାତ୍ରା ପାଇଁ ଧାର୍ଯ୍ୟ ହୋଇଥିବା ତାରିଖ ସଂପର୍କରେ ମା’ଙ୍କୁ ଅବଗତ କରାଯାଇଥିଲା। ସେଠାରୁ ମା’ଙ୍କ ଯାତ୍ରା ପାଇଁ ତାରିଖ ଧାର୍ଯ୍ୟ ହେବ ବୋଲି ପୂର୍ବରୁ ଘୋଷଣା ହୋଇଥିଲା। ରାତିରେ ସଭା ଆୟୋଜନ ନେଇ ଦିନ ତମାମ୍ ଧେଣ୍ଡୁରା ବଜାଇ ସହରବାସୀଙ୍କୁ ଏନେଇ ଅବଗତ କରାଯାଇଥିଲା। ଏହି ଫେରିବା ପରେ ଦେଶୀ ବେହେରାଙ୍କ ଘର ସାମ୍ନାରେ ଶୁଭଖୁଣ୍ଟି ସ୍ଥାପନ ହୋଇଥିଲା।
ଶୁଭଖୁଣ୍ଟି ସ୍ଥାପନ ପାଇଁ ଦିନ ଧାର୍ଯ୍ୟ ହେବା ପରେ ଯାତ୍ରାର ପୁରୋଧା ଦୁର୍ଗା ପ୍ରସାଦ ଦେଶୀବେହେରା ଏସଂପର୍କରେ ପୃଷ୍ଟି ପରିବାରକୁ ଅବଗତ କରିଥାନ୍ତି। କାହିଁ କେଉଁ ଆବାହନମାନ କାଳରୁ ପୃଷ୍ଟି ପରିବାର ଶୁଭଖୁଣ୍ଟି ପ୍ରସ୍ତୁତ କରିଥାନ୍ତି । ୯ ଫୁଟ ଉଚ୍ଚତା ଏବଂ ୯ଟି ଗଣ୍ଠି ବିଶିଷ୍ଟ ଏହି ବାଉଁଶକୁ ପୂଜାପାଠ କରି ବନ୍ଦାପନା କରିବା ପରେ କ୍ଷୀର, ମହୁ, ଘିଅ, ଦହି ଓ ଗଙ୍ଗାପାଣିରେ ଅଭିମନ୍ତ୍ରିତ କରାଯାଇଥିଲା । ଗେରୁ ଆଉ ହଳଦି ଲେପନକରି ବାଉଁଶ ଅଗରେ ଆମ୍ବଡାଳ, ବରକୁଳିପତ୍ର, ଦୁବ ଏଭଳି ପଞ୍ଚପତ୍ରକୁ ବାନ୍ଧି ଇଷ୍ଟଦେବୀଙ୍କ ଠାରେ ପୂଜାପାଠ କରାଯାଇଥିଲା। ପୂଜାପାଠ ପରେ ସନ୍ଧ୍ୟାରେ ଦେଶୀବେହେରା ସାହି ସଭାସ୍ଥଳକୁ ଅଣାଯାଇଥିଲା। ଶୁଭଖୁଣ୍ଟି ପହଞ୍ଚିବା ପରେ ଦେଶୀବେହେରାଙ୍କ ପକ୍ଷରୁ ବନ୍ଦାପନା କରାଯାଇଥିଲା। ଯାତ୍ରା ପାଇଁ ଲଗ୍ନ ବାହାରିବା ପରେ ପଟୁଆରରେ ମା’ଙ୍କ ମନ୍ଦିରକୁ ନିଆଯାଇଥିଲା।