ଦେଶ ବିଦେଶରେ ପ୍ରସିଦ୍ଧି ଲାଭ କରିଥିବା ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁରର ଆରାଧ୍ୟାଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଆଜି ଶୁଭଖୁଣ୍ଟି ସ୍ଥାପନ ହେବାକୁ ଯାଉଛି। ମା’ଙ୍କ ଯାତ୍ରାର ପ୍ରଥମ ପର୍ବ ହେଉଛି ଶୁଭଖୁଣ୍ଟି ସ୍ଥାପନ ଶୁଭଖୁଣ୍ଟିକୁ ମା’ଙ୍କ ଅଂଶ ସ୍ବରୂପ ବିବେଚନା କରାଯାଇ ପୂର୍ବପୁରୁଷରୁ ପ୍ରଥା ଚଳି ଆସିଛି। କିଂବଦନ୍ତୀ ଅନୁଯାୟୀ, ଯେଉଁଦିନ ଯାତ୍ରାପୁରୋଧାଙ୍କ ସିଦ୍ଧାନ୍ତୀ (ପୁରୋହିତ) ମା’ଙ୍କ ଶୁଭଖୁଣ୍ଟି ସ୍ଥାପନ ନେଇ ତିଥି ଓ ବାର ଧାର୍ଯ୍ୟ କରିବେ ସେହିଦିନ ହିଁ ଯାତ୍ରାପୁରୋଧା ଦେଶୀବେହେରାଙ୍କ ପକ୍ଷରୁ ଆରମ୍ଭ ହୁଏ ଯାତ୍ରାର ପ୍ରସ୍ତୁତି ପର୍ବ । ବଂଶାନୁକ୍ରମେ ମା’ଙ୍କୁ ସେବା କରିଆସୁଥିବା ପୃଷ୍ଟି ପରିବାରକୁ ଦେଶୀବେହେରା ପ୍ରଥମ ସୂଚନା ଦିଅନ୍ତି କାରଣ ପୃଷ୍ଟି ପରିବାରମାନେ ମା’ଙ୍କ ଶୁଭଖୁଣ୍ଟି ସ୍ଥାପନ କରନ୍ତି। ସେଥିପାଇଁ ଯାତ୍ରାପୁରୋଧା ଦୁର୍ଗାପ୍ରସାଦ ଦେଶୀବେହେରାଙ୍କ ପକ୍ଷରୁ ପୃଷ୍ଟିପରିବାରଙ୍କ ସହ ଆଲୋଚନା କରି ଶୁଭଖୁଣ୍ଟି ନେଇ ପ୍ରସ୍ତୁତିକାର୍ଯ୍ୟ ଆରମ୍ଭକରିବାକୁ ପରାମର୍ଶ ଦେଇଥାନ୍ତି। ବଂଶାନୁକ୍ରମେ ମା’ଙ୍କୁ ସେବା କରିଆସୁଥିବା ନୀଳମଣି ପୃଷ୍ଟି ପରିବାରଙ୍କ ପକ୍ଷରୁ ଆରମ୍ଭ ହୁଏ ପ୍ରସ୍ତୁତିପର୍ବ ଶୁଭଖୁଣ୍ଟି ସ୍ଥାପନ ଦିନ ପ୍ରାତଃରୁ ପୃଷ୍ଟିପରିବାର ନିଜ ଇଷ୍ଟଦେବୀଙ୍କ ଠାରେ ପୂଜାପାଠ କରି ଅଖଣ୍ଡଦୀପ ସ୍ଥାପନ କରି ବର୍ଷବର୍ଷ ଧରି ମା’ଙ୍କ ଯାତ୍ରା ବେଳେ ଚଳି ଆସୁଥିବା ପୁରୁଣାବ୍ରହ୍ମପୁର ବାଉରି ସାହିର ବାଉଁଶ କୁଣ୍ଡ ନିକଟରେ ପୂଜାପାଠ କରି ସେଠାରୁ ୯ ଫୁଟ ଉଚ୍ଚତା ଓ ୯ଟି ଗଣ୍ଠି ବିଶିଷ୍ଟ ଏକ ବାଉଁଶକୁ ସଂଗ୍ରହ କରନ୍ତି ଉକ୍ତ ବାଉଁଶକୁ ଆଣି ନିଜ ବାସଭବନରେ ରଖି ଅଭିମନ୍ବିତ କରିବା ପରେ ପୂଜାପାଠ ଓ ବନ୍ଦାପନା କରି ଇଷ୍ଟଦେବୀଙ୍କ ଠାରେ ରଖିଥାନ୍ତି। ଦିନତମାମ ଉପବାସ ରହି ପୂଜାପାଠ କରିବା ପରେ ସଂଧ୍ୟାରେ ଦେଶୀବେହେରାଙ୍କ ପକ୍ଷରୁ ଶୁଭଖୁଣ୍ଟି ଆଣିବା ପାଇଁ ନିମନ୍ତ୍ରଣ ଆସେ ନିମନ୍ତ୍ରଣ ଆସିବା ପରେ ପୃଷ୍ଟିପରିବାର ପକ୍ଷରୁ ଶଙ୍ଖ ଓ ହୁଳହୁଳି ଦେଇ ମା’ଙ୍କ ଅଂଶମ୍ବରୂପ ଶୁଭଖୁଣ୍ଟି ଧରି ଦେଶୀବେହେରା ସାହି ଅଭିମୁଖେ ଯାତ୍ରା କରନ୍ତି| ସେଠାରେ ଶୁଭଖୁଣ୍ଟି ପହଞ୍ଚିବା ପରେ ଦେଶୀବେହେରାଙ୍କ ପକ୍ଷରୁ ଶୁଭଖୁଣ୍ଡିକୁ ବନ୍ଦାପନା କରି ନିଜ ବାସଭବନ ତଥା ମା’ଙ୍କ ମୂଳପିଣ୍ତ ସ୍ଥାନରେ ଆସ୍ଥାନ କରନ୍ତି। ସେଠାରେ ଦେଶୀବେହେରାଙ୍କ ପକ୍ଷରୁ ପୂଜାପାଠ ହେବା ପରେ ସିଦ୍ଧାନ୍ତୀଙ୍କ କହିବାନୁଯାୟୀ ଶୁଭଖୁଣ୍ଟିକୁ ଧରି ପଟୁଆରରେ ମା’ଙ୍କ ସ୍ଥାୟୀ ମନ୍ଦିରକୁ ଅଣାଯାଇଥାଏ । ମା’ଙ୍କ ଆଜ୍ଞାମାଳ ମିଳିବା ପରେ ଶୁଭଖୁଣ୍ଟିକୁ ଦେଶୀବେହେରାଙ୍କ ବାସଭବନ ସମ୍ମୁଖରେ ସ୍ଥାପନ କରାଯାଇଥାଏ। ଆଜି ବୁଧବାର ରାତି ସାଢ଼େ ୯ଟାରୁ ୧୧ଟା ୪୫ ମଧ୍ୟରେ ସଭାକାର୍ଯ୍ୟ ଶେଷ କରି ମଧ୍ୟରାତି ୧୨ଟାରୁ ସାଢ଼େ ୨ଟା ମଧ୍ୟରେ ଶୁଭଖୁଣ୍ଟି ସ୍ଥାପନ କରାଯିବା ବୋଲି ସିଦ୍ଧାନ୍ତୀ ପରାମର୍ଶ ଦେଇଛନ୍ତି। ସେହି ସମୟ ମଧ୍ୟରେ ମା’ଙ୍କ ସମସ୍ତ କାର୍ଯ୍ୟ ସମାପନ କରାଯିବ ବୋଲି ଯାତ୍ରାପୁରୋଧା ଦୁର୍ଗାପ୍ରସାଦ ଦେଶୀବେହେରା ସୂଚନା ଦେଇଛନ୍ତି। ଶୁଭଖୁଣ୍ଟି ସ୍ଥାପନ ପୂର୍ବରୁ ମା’ଙ୍କ ଆଗମନ ଉପରେ ସିଦ୍ଧାନ୍ତୀ ସୂଚନା ପ୍ରଦାନ କରନ୍ତି | ଚଳିତବର୍ଷ ମା’ କେଉଁ ତିଥିରେ ଆଗମନ କରିବେ ତାକୁ ନେଇ ସହରବାସୀ ଉତ୍ସୁକତାର ସହ ଚାହିଁ ରହିଛନ୍ତି ।